ସିର୍କାବର୍ଗ ରେ ନେଟୱର୍କ ସେବା ଯୋଗାଇ ଦେବାକୁ ଦାବି

ଦାରିଙ୍ଗବାଡି,୩୦/୯(ତରଣୀ ସାହୁ): ୨ ବର୍ଷ ହେଲା ଟାୱାର କାମ ସରିଲାଣି ହେଲେ ଆଜି ପର୍ଯ୍ୟନ୍ତ ଲୋକେ ସେବା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି । ଦାରିଙ୍ଗବାଡି ବ୍ଲକ ସିର୍କାବର୍ଗ ପଞ୍ଚାୟତ ରୁ ଆସିଚି କିଛି ଏଭଳି ଅଭିଯୋଗ । ସିର୍କାବର୍ଗ ପଞ୍ଚାୟତରେ ୨ ବର୍ଷ ହେବ ଜିଓ ଓ ବିଏସଏନଏଲ୍ ଟାୱାର କାମ ସରିଲାଣି । ହେଲେ ଆଜି ପର୍ଯ୍ୟନ୍ତ ଚାର୍ଜ ହେଉନାହିଁ । ଫଳରେ ସିର୍କାବର୍ଗ ପଞ୍ଚାୟତର ହଜାର ହଜାର ଲୋକ ନେଟୱର୍କ ସେବାରୁ ବଞ୍ଚିତ ହୋଇ ରହିଛନ୍ତି । ଡ଼ିଜିଟାଲ ଇଣ୍ଡିଆ କୁ ସାକାର କରିବା ପାଇଁ ପ୍ରତ୍ୟେକ ଅଞ୍ଚଳରେ ନେଟୱର୍କ ସେବା ଯୋଗାଇ ଦେବାକୁ କେନ୍ଦ୍ର ସରକାର ଲକ୍ଷ ରଖିଥିବା ବେଳେ ତାହା କେତେ ସଫଳ ଉକ୍ତ ଗାଁ କୁ ଦେଖିଲେ ଜଣା ପଡୁଛି । କିଛି ଅନଲାଇନ କରିବା ପାଇଁ ହେଲେ ଲୋକେ ୨୫ କିଲୋମିଟର ଦୂର ଦାରିଙ୍ଗବାଡି ଆସି ନିଜର ଅନଲାଇନ କାମ କରନ୍ତି । ଫଳରେ ଲୋକେ ୫୦ ଟଙ୍କାର କାମ ପାଇଁ ୧୦୦ ଟଙ୍କା ଯାତାୟତ ଖର୍ଚ୍ଚ କରିବାକୁ ପଡୁଛି । ଏଭଳି ଭାବେ ଜରୁରୀ ସମୟ ରେ ଲୋକେ ହଟାତ୍ କାହାରିକୁ ଫୋନ ମଧ୍ୟ କରି ପାରୁନାହାନ୍ତି । ଯଦି କଲ କରିବାର ଅଛି ତାହାଲେ ୧୫ କିଲୋମିଟର ଦୂର ଦନେକବାଡ଼ି ଘାଟି କୁ ଆସି କଲ କରିବାକୁ ପଡ଼ୁଚି । ଏଣୁ ନେଟୱର୍କ ସେବା ଯୋଗାଇ ଦେବାକୁ ସିର୍କାବର୍ଗ ସରପଞ୍ଚ ଚିରଞ୍ଜିବୀ ପ୍ରଧାନ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ରେ ଏକାଧିକ ଥର ଅଭିଯୋଗ କରିଥିବା ବେଳେ ଆଜି ପର୍ଯ୍ୟନ୍ତ କୌଣସି ସମାଧାନ ହୋଇନାହିଁ । ଫଳରେ ସରପଞ୍ଚ ଓ ସମିତି ସଭ୍ୟ ଶ୍ୟାମଘନ ପ୍ରଧାନ ଦୁହେଁ ମିଶି କିଛି ଦିନ ତଳେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କୁ ଭେଟି ଏନେଇ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ । ଦେଖିବାକୁ ବାକି ରହିଲା ପ୍ରଶାସନ ଓ ରାଜନେତା ଏହି ଗାଁ କୁ ନେଟୱର୍କ ସେବା ଯୋଗାଇ ଦେବାକୁ କେତେ ଉଦ୍ୟମ କରୁଛନ୍ତି ।