ଦାରିଙ୍ଗବାଡି,୧୬/୯(ତରଣୀ ସାହୁ): ଲୋକଙ୍କୁ ଗୋଳିଆ ପାଣି ଯୋଗାଣ କରି ନିରାପଦ ପାନୀୟ ଜଳ ଯୋଗାଣ କରାଯାଉଥିବା ନେଇ ଜିଲ୍ଲାପାଳ ଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ର । ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ ଙ୍କ ରିପୋର୍ଟ କୁ ଆଧାର କରି ଏହି ରିପୋର୍ଟ ପ୍ରଦାନ କରାଯାଇଥିବା ଚିଠିରେ ଉଲ୍ଲେଖ ଅଛି । ଯାହାକୁ କି ଅଞ୍ଚଳବାସୀ ଆଦ୍ୱ ଗ୍ରହଣ କରି ପାରି ନାହାନ୍ତି । ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀ ଜିଲ୍ଲାପାଳ ଙ୍କୁ ଭୁଲ ତଥ୍ୟ ପ୍ରଦାନ କରି ଭୁଆଁ ବୁଲାଉଥିବା ନେଇ ତାତିଛନ୍ତି ଅଞ୍ଚଳବାସୀ । ଗତ ଜୁଲାଇ ମାସ ୧ ତାରିଖ ଦିନ ପ୍ରମେୟ ଖବର କାଗଜ ରେ ବିଶୁଦ୍ଧ ଜଳ ନାଁରେ ଗୋଳିଆ ପାଣି ଯୋଗାଣ ଶୀର୍ଷକ ନେଇ ଏକ ଖବର ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ରାଜେଶ କୁମାର ବଗର୍ତ୍ତି ଏହାକୁ ଏକ୍ସ ମାଧ୍ୟମରେ ବିଭିନ୍ନ ବିଭାଗ ଟ୍ୟାଗ କରିଥିଲେ । ହେଲେ ଗତ ୧୨ ତାରିଖ ଦିନ ଦାରିଙ୍ଗବାଡି ବିଡ଼ିଓ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ ଙ୍କ ରିପୋର୍ଟ କୁ ଆଧାର କରି ଜିଲ୍ଲାପାଳ ଙ୍କୁ ଜଳ ଯୋଗାଣ ସମ୍ପର୍କୀତ ଏକ ଚିଠି (୪୨୦୮/୧୨.୦୯.୨୦୨୪) କରିଛନ୍ତି । ଉକ୍ତ ଚିଠିରେ ଉଲ୍ଲେଖ ରହିଛି ଦାରିଙ୍ଗବାଡି ବ୍ଲକରେ ୭୩ ଗୋଟି ଜଳ ଯୋଗାଣ ପ୍ରକଳ୍ପ,୧୯୫ ଗୋଟି ସୋଲାର ଜଳ ଯୋଗାଣ ପ୍ରକଳ୍ପ ଓ ୨୪୮୮ ଟି ନଳକୂପ ରହିଥିବା ବେଳେ ୧୦ ଗୋଟି ଜଳ ଯୋଗାଣ ପ୍ରକଳ୍ପ ରେ ଫିଲଟର ସ୍ଥାପନ କରାଯାଇଥିଲା ବେଳେ ସବୁ ଗୁଡ଼ିକ ସଠିକ୍ ପରିଚାଳନା ହେଉଥିବା ନେଇ ଚିଠିରେ ଉଲ୍ଲେଖ ରହିଛି । ହେଲେ ବାସ୍ତବରେ କିନ୍ତୁ ଅଲଗା । ଦାରିଙ୍ଗବାଡି ବ୍ଲକରେ ୨୫ ଗୋଟି ପଞ୍ଚାୟତ ରହିଛି । ଉକ୍ତ ପଞ୍ଚାୟତ ଗୁଡ଼ିକରେ ଯେଉଁ ସୋଲାର ଜଳ ପ୍ରକଳ୍ପ ରହିଛି ସେଠୁ ବିଶୁଦ୍ଧ ଜଳ ମିଳୁଥିବା ବେଳେ ଜଳ ଯୋଗାଣ ପ୍ରକଳ୍ପ ଓ ନଳକୂପ ଗୁଡ଼ିକରୁ ବିଶୁଦ୍ଧ ଜଳ ମିଳୁନାହିଁ । ଜଳ ଯୋଗାଣ ପ୍ରକଳ୍ପ ଗୁଡିକରେ ଗୋଳିଆ ପାଣି ଆସୁଛି । ଆଜି ପର୍ଯ୍ୟନ୍ତ ଜଳ ଯୋଗାଣ ପ୍ରକଳ୍ପ ରେ ଆସୁଥିବା ପାଣି ଲୋକେ କେବେ ମଧ୍ୟ ପିଇବା ପାଇଁ ବ୍ୟବହାର କରିନାହାନ୍ତି । ଉକ୍ତ ପାଣି ଲୁଗା ପଟା ସଫା, ଗାଧୋଇବା ଓ ବାସନ ମାଜିବା ଓ ଚାଷ କାମରେ ବ୍ୟବହାର ହେଉଛି । ହେଲେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଉକ୍ତ ଗୋଳିଆ ପାଣି କୁ ନିରାପଦ ପାନୀୟ ଜଳ ଯୋଗାଣ ହେଉଥିବା ଚିଠି ମାଧ୍ୟମରେ ଡିଣ୍ଡିମ ପିଟୁଛି । ଦାରିଙ୍ଗବାଡି ହେଡ୍ କ୍ୱାଟର ଅଞ୍ଚଳରେ ଯୋଗାଣ ହେଉଥିବା ପାଣି ଗୋଳିଆ ପାଣି । ଖାଲି ଦାରିଙ୍ଗବାଡି କଥା ନୁହଁ ସିମନବାଡ଼ି, ସୁଲୁମାହା,ଗୋଦାପୂର, କିରିକୁଟି, କାଟିଙ୍ଗିଆ, ଗୁମିକିଆ ଓ ଦନେକବାଡ଼ି ଭଳି ଅନେକ ପଞ୍ଚାୟତ ଅଞ୍ଚଳର ଗାଁ ଗୁଡିକୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ଠାରୁ ହିଁ ଗୋଳି ପାଣି ଯୋଗାଣ କରାଯାଉଛି । ଟାଙ୍କି ଗୁଡ଼ିକ ନଦୀ କଡ଼ରେ କରାଯାଇଥିବା ହେତୁ ଯେତେବେଳେ ନଦୀର ପାଣି ଯେମିତି ସେମିତି ପାଣି ଯୋଗାଣ ହେଉଛି । ହେଲେ ବିଭାଗ ଗୋଳିଆ ପାଣି କୁ ନିରାପଦ ପାନୀୟ ଜଳ ଯୋଗାଣ ହେଉଥିବା ଜିଲ୍ଲାପାଳ ଙ୍କୁ ତଥ୍ୟ ପ୍ରଦାନ କରିବା ଚିନ୍ତା ଜନକ ଘଟଣା ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଯେଉଁ ପାଣି କୁ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ ନିରାପଦ ପାନୀୟ ଜଳ କହୁଛନ୍ତି ଉକ୍ତ ପାଣି କୁ ଅଧିକାରୀ ପିଇବେ କି ବୋଲି ପ୍ରଶ୍ନ କରିଛନ୍ତି ଅଞ୍ଚଳବାସୀ । ଅଧିକାରୀ ନିଜ ଘରେ ବ୍ରାଣ୍ଡ କମ୍ପାନୀର ଫିଲଟରରୁ ବିଶୁଦ୍ଧ ପାଣି ପିଉଥିବା ବେଳେ ଲୋକଙ୍କୁ ଗୋଳି ପାଣି ଯୋଗାଣ କରି ନିରାପଦ ପାନୀୟ ଜଳ ଯୋଗାଣ ହେଉଥିବା କଥା କହିବା ହାସ୍ୟସ୍ପଦ ବୋଲି ଅଞ୍ଚଳବାସୀ କହିଛନ୍ତି । ସହକାରୀ ଯନ୍ତ୍ରୀ ଭୁଲ ତଥ୍ୟ ପ୍ରଦାନ କରିଥିବା ଯୋଗୁଁ ତାଙ୍କ ଉପରେ ଜିଲ୍ଲାପାଳ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।