ଦାରିଙ୍ଗବାଡି,୭/୯(ତରଣୀ ସାହୁ): ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ର ସରପଞ୍ଚ ଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗ ରେ କନ୍ଧମାଳ ଜିଲ୍ଲା ସରପଞ୍ଚ ସଂଘ ପ୍ରଥମେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ଅଭିଯୋଗ କରିଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଭେଟି ସଂଘ ପକ୍ଷରୁ ଅଭିଯୋଗ ପତ୍ର ପ୍ରଦାନ କରାଯିବା ନେଇ ଦାରିଙ୍ଗବାଡି ସରପଞ୍ଚ ସଂଘ ପକ୍ଷରୁ କୁହାଯାଇଚି। ଏପରିକି ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପରେ ହୋଇଥିବା ଦୁର୍ନୀତି ନେଇ ମଧ୍ୟ ସଂଘ ମୁହଁ ଖୋଲିବା ସହ ବିଡ଼ିଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବାବଦରେ ଆସିଥିବା ଟଙ୍କାକୁ ଆତ୍ମସାତ କରିଥିବା ନେଇ ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଥିବା ବେଳେ ଉକ୍ତ ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଭେଟି ସଂଘ ପକ୍ଷରୁ ଅଭିଯୋଗ ପ୍ରଦାନ କରାଯିବା । ଏଥି ସହିତ ବ୍ଲକରେ ହୋଇଥିବା ବିଭିନ୍ନ ଯୋଜନାରେ ହୋଇଥିବା ଦୁର୍ନୀତି ନେଇ ସଂଘ ଭିଜିଲାନ୍ସର ଦ୍ବାରସ୍ଥ ମଧ୍ୟ ହେବ ବୋଲି କୁହାଯାଇଛି । ବିଡ଼ିଓ ଗଦାଧର ପାତ୍ର ଙ୍କୁ କନ୍ଧମାଳ ଜିଲ୍ଲା ମଧ୍ୟରେ କୌଣସି ସ୍ଥାନରେ ନିଯୁକ୍ତି ନଦେବା ସହ ଜିଲ୍ଲା ବାହାର କୁ ବଦଳି କରିବା ପାଇଁ ସଂଘ ଦାବି କରିଛି । ଯଦି ଏଭଳି ନହୁଏ ତାହାଲେ ଆଗାମୀ ଦିନରେ ଅନ୍ୟ ସରପଞ୍ଚ ମାନେ ମଧ୍ୟ ବିଡ଼ିଓ ଙ୍କ ଦୁର୍ବ୍ୟବହାରର ଶିକାର ହୋଇ ପାରନ୍ତି ବୋଲି ସଂଘ ପକ୍ଷରୁ ଅଭିଯୋଗ ହୋଇଛି । ଯଦି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଶାସନିକ ସ୍ତରରେ ଘଟଣାର ତଦନ୍ତ ନକରାଯାଇ ଚପାଇଦେବାକୁ ଚେଷ୍ଟା କରାଯାଏ ତାହାଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ସରପଞ୍ଚ ମାନେ କହିଛନ୍ତି । ଅଭିଯୋଗର ସଠିକ୍ ତଦନ୍ତ କରିବା ସହ ଜିଲ୍ଲା ବାହାରକୁ ବଦଳି ଓ ତଦନ୍ତ ଅନୁଯାୟୀ ଉଚିତ କାର୍ଯ୍ୟାନୁଷ୍ଠାନ ନେବାକୁ ସଂଘ ପକ୍ଷରୁ ଦାବି ରଖାଯାଇଛି । ସୂଚନା ପ୍ରକାରେ,ଗତ ୩୧ ତାରିଖ ଦିନ ଦାରିଙ୍ଗବାଡି ବ୍ଲକ ସଭାଗୃହ ଠାରେ ସୁଭଦ୍ରା ଓ ପିଏମ ବିଶ୍ଵକର୍ମା ଯୋଜନା ନେଇ ଏକ କର୍ମଶାଳା ହୋଇଥିଲା । ଉକ୍ତ କର୍ମଶାଳା ରେ ସରପଞ୍ଚ ମାନଙ୍କୁ ଯୋଗ ଦେବାକୁ ବିଡ଼ିଓ ସୂଚନା ଦେଇଥିଲେ । ସୂଚନା ପ୍ରକାରେ ସରପଞ୍ଚ ମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ହେଲେ ଆଲୋଚନା ବେଳେ ବାଡ଼ାବାଙ୍ଗା ସରପଞ୍ଚ ପ୍ରସନ୍ନ ପ୍ରଧାନ ସୁଭଦ୍ରା ସଂପର୍କୀତ ଏକ ପ୍ରଶ୍ନ ବିଡ଼ିଓ ଗଦାଧର ପାତ୍ର ଙ୍କୁ ପଚାରିଥିଲେ । ହେଲେ ବିଡ଼ିଓ ଏହାର ଉତ୍ତର ଦେବା ବଦଳରେ ଦୁର୍ବ୍ୟବହାର କରି ବୈଠକ ରୁ ବାହାରି ଯିବା ପାଇଁ କହିଥିଲେ । ଫଳରେ ସମସ୍ତ ସରପଞ୍ଚ ବୈଠକ ରୁ ବାହାରି ଯାଇଥିଲେ । ଏହା ପୂର୍ବରୁ ଭ୍ରମରବାଡ଼ି ସରପଞ୍ଚ ନରତମ ପ୍ରଧାନ ଓ ସିର୍କାବର୍ଗ ସରପଞ୍ଚ ଚିରଞ୍ଜିବୀ ପ୍ରଧାନ ଙ୍କୁ ମଧ୍ୟ ବିଡ଼ିଓ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା ।