ଜିଲ୍ଲାର ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କଲେ ନୂତନ ଜିଲ୍ଲାପାଳ

ଢେଙ୍କାନାଳ,୧୩/୦୮(ଶୁଭମ ପାଣି): ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭାଗୃହଠାରେ ନୂତନ ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ ଜିଲ୍ଲାରେ ବିଭିନ୍ନ ବିଭାଗ ଦ୍ବାରା କରାଯାଉଥିବା ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଜିଲ୍ଲାର ଆର୍ଥିକ ବିକାଶ ହେବା ସହିତ ସରକାରଙ୍କ ଦ୍ବାରା ପ୍ରଣିତ ପ୍ରମୁଖ ଜନକଲ୍ୟାଣ ଯୋଜନା ଗୁଡିକ ଯେପରି ଯଥା ଶୀଘ୍ର ସମୟ ସୀମା ମଧ୍ୟରେ ଶେଷ ହୋଇପାରିବ ସେଥ‌ିପ୍ରତି ବିଭାଗୀୟ ଅଧିକାରୀମାନେ ଯନ୍‌ବାନ ହେବାକୁ ସେ ଗୁରୁତ୍ବାରୋପ କରିଛନ୍ତି । କାର୍ଯ୍ୟ ନିର୍ବାହରେ କୌଣସି ପ୍ରକାରର ଅସୁବିଧାର ସୁମ୍‌ମୁଖୀନ ହେଲେ, ସମାଧାନ ନିମନ୍ତେ ଅଧିକାରୀମାନେ ତାଙ୍କର ଦୃଷ୍ଟି ଆକର୍ଷଣ କରିବାକୁ କହିଛନ୍ତି । କୌଣସି କାର୍ଯ୍ୟରେ ଅଯଥା ବିଳମ୍ବ ନ କରି ନିଷ୍ଠାର ସହିତ କାର୍ଯ୍ୟ କରି ଜିଲ୍ଲାର ସର୍ବାଙ୍ଗୀନ ବିକାଶ କରିବାକୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାରେ ହେଉଥିବା ରାସ୍ତା ଘାଟ ଏବଂ ପୋଲ ନିର୍ମାଣ କାର୍ଯ୍ୟ, ଗ୍ରାମାଞ୍ଚଳରେ ଜଳ ଯୋଗାଣ ବ୍ୟବସ୍ଥା, ସ୍ବାସ୍ଥ୍ୟସେବା କାର୍ଯ୍ୟକ୍ରମ, କୃଷି ଏବଂ ଉଦ୍ୟାନ ବିଭାଗର କାର୍ଯ୍ୟକ୍ରମ ଆଦି ସମ୍ପର୍କରେ ବିଭାଗୀୟ ଅଧିକାରୀମାନେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ( ସାଧାରଣ ), ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅନୀତା ପାତ୍ର (ରାଜସ୍ବ ), ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହ୍ନୁ, କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ, ହିନ୍ଦୋଳ ଉପଜିଲ୍ଲାପାଳ ଶ୍ରୀ ଶିବାନନ୍ଦ ସ୍ବାଇଁଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ମଣ୍ଡଳ ଉନ୍ନୟନ ଅଧିକାରୀ ଏବଂ ତହସିଲଦାରମାନେ ଉପସ୍ଥିତ ଥିଲେ ।