ଆଧାରକେନ୍ଦ୍ରରୁ ପ୍ରିଣ୍ଟର ଓ ଆଇ ସ୍କାନର ଚୋରି

ବାଲିଗୁଡା,୦୬/୦୮: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ପରିସର ମଧ୍ୟରେ ଥିବା ଆଧାର କେନ୍ଦ୍ରରୁ ପ୍ରିଣ୍ଟର ଓ ଆଇ ସ୍କାନର ଚୋରି ହୋଇଥିବା ନେଇ ଆଧାର କେନ୍ଦ୍ରର ପରିଚାଳକ ସୁରେନ ସାହୁ ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୁରେନ୍ ସାହୁ ଶନିବାର ଦିନ ସନ୍ଧ୍ୟା ୫ ବେଳେ ଆଧାର କେନ୍ଦ୍ର ବନ୍ଦ କରି ନିଜ ଘର ସିମନବାଡ଼ି ଗ୍ରାମକୁ ଯାଇଥିଲେ । ରବିବାର ଛୁଟି ଥିବା ଯୋଗୁଁ ସୋମବାର ଦିନ ୧୦ ଟା ବେଳେ ଆଧାର କେନ୍ଦ୍ରକୁ ଆସିଥିଲେ । ହେଲେ ଆସି ଦେଖିଲା ବେଳେ ଝରକା ତାଡ଼ି କେହି ଦୁର୍ବୃତ୍ତ ପ୍ରିଣ୍ଟର ସହ ଆଇ ସ୍କାନର ଚୋରି କରି ନେଇଥିବା ଦେଖିଥିଲେ । ଫଳରେ ଆଧାର କାର୍ଡ ପାଇଁ ବହୁ ଦୂର ଦୁରାନ୍ତରୁ ଆସିଥିବା ଲୋକେ ଅଯଥା ଖର୍ଚ୍ଚାନ୍ତ ହୋଇ ଘରକୁ ଫେରି ଯାଇଥିଲେ । ଯେଉଁଠାରେ ଆଧାର କେନ୍ଦ୍ର ରହିଛି ଉକ୍ତ ଘର ଛୋଟ ଥିବାବେଳେ କବାଟ ଝରକା ଠିକ୍ ନଥିବା ଯୋଗୁଁ ଏଭଳି ଚୋରି ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି । ଏତଲା ପାଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି ।