ଦାରିଙ୍ଗବାଡି,୩/୮( ତରଣୀ ସାହୁ): ରାସନ କାର୍ଡ ରେ ଭୂତ ହିତାଧିକାରୀ ଥିବା ନେଇ ବିଧାନସଭାରେ ଯୋଗାଣ ମନ୍ତ୍ରୀ ଅଭିଯୋଗ କରିଥିବା ବେଳେ ଏହାର ସତ୍ୟତା ଦେଖିବାକୁ ମିଳିଛି । ଭୂତ ଲ୍ୟାମ୍ପ କୁ ଆସି ଚାଉଳ ନେଉଥିବା ବେଳେ ଯୋଗାଣ ବିଭାଗର ପେଟ ଫୁଲ । ଭୂତ ଅଧିକାରୀ ଙ୍କ ନାମରେ କ୍ଵିଣ୍ଟାଲ କ୍ଵିଣ୍ଟାଲ ଚାଉଳ ବର୍ଷ ବର୍ଷ ଧରି ଯୋଗାଣ ବିଭାଗ ଚଳୁ କରୁଥିବା ଦେଖିବାକୁ ମିଳିଛି । ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ପଞ୍ଚାୟତରେ ଦେଖିବାକୁ କିଛି ଏଭଳି ଅଭିଯୋଗ । ସିମନବାଡ଼ି ପଞ୍ଚାୟତର ଯୁଡ଼ାବାଡ଼ି ଗ୍ରାମର ସରମା ମାଝୀ ୨୦୨୦ ମସିହା ଫେବୁରାରୀ ୧ ତାରିଖ ଦିନ ମୃତ୍ୟୁ ବରଣ ହୋଇଥିବା ବେଳେ ତାଙ୍କ ନାମରେ ଅନ୍ତୋଦୟ ଅନ୍ନ ଯୋଜନାରେ ରାସନ କାର୍ଡ (୧୬୦୩୧୯୧୦୪୯୮) ରେ ୩୫ କିଲୋ ଚାଉଳ ମିଳୁଥିଲା। ହେଲେ ମୃତ୍ୟୁ ହେବାର ୪ ବର୍ଷ ୬ ମାସ ବିତିଯାଇଥିଲେ ସୁଦ୍ଧା ତାଙ୍କ ନାମରେ ଆଜି ପର୍ଯ୍ୟନ୍ତ ରାସନ କାର୍ଡ ରହିଥିବା ବେଳେ ଚାଉଳ ବି ବିଲ ହେଉଛି । ସେହିଭଳି ଭାବେ ଯମୁନା ମାଝୀ ଙ୍କ ନାମରେ ମଧ୍ୟ ଅନ୍ତୋଦୟ ଅନ୍ନ ଯୋଜନାରେ ରାସନ କାର୍ଡ(୧୬୦୩୧୯୧୦୫୪୩)ରେ ୩୫ କିଲୋ ଚାଉଳ ମିଳୁଥିବା ବେଳେ ତାଙ୍କର ୨୦୨୩ ଏପ୍ରିଲ ମାସ ୧୧ ତାରିଖ ଦିନ ମୃତ୍ୟୁ ହୋଇଥିଲା । ହେଲେ ମୃତ୍ୟୁ ହେବାର ୧୫ ମାସ ହୋଇଥିବା ବେଳେ ଯମୁନା ଙ୍କ ନାମରେ ମିଥ୍ୟା ବିଲ କରାଯାଇ ଚାଉଳ ହଡପ କରାଯାଉଥିବା ଦେଖିବାକୁ ମିଳିଛି । ଯୁଡ଼ାବାଡ଼ି ଗ୍ରାମର ଶଶି ସାହି ଓ ଝିଅ ପବିତ୍ରା ସାହୁ ଙ୍କ ନାମରେ ରାସନ କାର୍ଡ(୧୬୦୩୧୯୧୦୫୮୪) ରହିଥିବା ବେଳେ ଶଶି ସାହୁ ୨୦୨୩ ମସିହା ଏପ୍ରିଲ ମାସରେ ମୃତ୍ୟ ବରଣ କରିଥିବା ବେଳେ ଝିଅ ପବିତ୍ରା ସାହୁ ୨୦୨୩ ଜୁଲାଇ ୬ ତାରିଖ ଦିନ ମୃତ୍ୟୁ ବରଣ କରିଥିଲେ । ମୃତ ମାଆ ଓ ଝିଅ ଙ୍କ ୧୦ ମାସର ଚାଉଳ ହଡ଼ପ କରାଯାଇଛି । ଦଡିବାଡ଼ି ଗ୍ରାମର ସମ୍ବାତା ପ୍ରଧାନ ଅନ୍ତୋଦୟ ଅନ୍ନ ଯୋଜନା ରାସନ କାର୍ଡ ( ୧୬୦୩୧୯୧୦୩୫୧)ରେ ୩୫ କିଲୋ ଚାଉଳ ପାଉଥିବା ବେଳେ ତାଙ୍କର ଗତ ଡିସେମ୍ବର ୧୭ ତାରିଖ ଦିନ ମୃତ୍ୟୁ ହୋଇଥିଲା ।
ହେଲେ ମୃତ୍ୟୁ ହୋଇ ୭ ମାସ ବିତିଯାଇଥିଲେ ସୁଦ୍ଧା ତାଙ୍କ ନାମରେ ମଧ୍ୟ ମିଥ୍ୟା ବିଲ କରାଯାଇ ଥିବା ଦେଖିବାକୁ ମିଳିଛି । ଏଭଳି ଭାବେ ସରମା ମାଝୀ, ଶଶି ସାହୁ, ପବିତ୍ରା ସାହୁ, ଯମୁନା ମାଝୀ, ସମ୍ବାତା ପ୍ରଧାନ ଙ୍କ ମୃତ୍ୟୁ ପରେ ଯୋଗାଣ ବିଭାଗ ତାଙ୍କ ନାମରେ ଚାଉଳର ମିଥ୍ୟା ବିଲ କରି ପାଖାପାଖି ୩୦ କ୍ଵିଣ୍ଟାଲ ଚାଉଳ ଯୋଗାଣ ବିଭାଗ ହଡ଼ପ କରିଥିବା ଜଣା ପଡ଼ିଛି । ଅନ୍ୟ ପଟେ ଯେଉଁ ରାସନ କାର୍ଡ ରେ ପରିବାରର ମୃତ ବ୍ୟକ୍ତି ରହିଥିଲେ ସେହି ପରିବାରକୁ ମୃତ ବ୍ୟକ୍ତି ଙ୍କ ନାମରେ ଚାଉଳ ନଦେଇ ପରିବାରର ଅନ୍ୟ ସଦସ୍ୟ ମାନଙ୍କ ଚାଉଳ ଦେଉଥିବା ବେଳେ ମୃତ ବ୍ୟକ୍ତି ର ଚାଉଳକୁ ହଡ଼ପ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଯୁଡ଼ାବାଡି ଗ୍ରାମର ରୁଦ୍ରାଣି ସାହୁ ମୃତ ହୋଇଥିବା ବେଳେ ଜୁଲାଇ ମାସରେ ରାସନ କାର୍ଡ (୧୬୦୩୧୯୧୧୧୨୩) ରେ ଚାଉଳ ଦେବା ବେଳେ ବିକ୍ରୟ କେନ୍ଦ୍ର ପକ୍ଷରୁ ରୁଦ୍ରାଣି ଙ୍କ ନାମ କଟିଥିବା କହି ଅନ୍ୟ ୩ ସଦସ୍ୟ ଙ୍କ ଚାଉଳ ଦିଆଯାଇଥିବା ବେଳେ ରୁଦ୍ରାଣିଙ୍କ ନାମରେ ମିଥ୍ୟା ବିଲ କରାଯାଇ ୩ ମାସର ୧୫ କିଲୋ ଚାଉଳ ହଡପ କରାଯାଇଥିବା ପୁଅ ଶିବ ପ୍ରସାଦ ସାହୁ ଅଭିଯୋଗ କରିଛନ୍ତି । ସେହିପରି ଭାବେ ଯୁଡ଼ାବାଡ଼ି ଗ୍ରାମର ମୁକ୍ତା ବେହେରା ଓ ତାଙ୍କ ସ୍ଵାମୀ ପୂର୍ଣ୍ଣ ଚନ୍ଦ୍ର ବେହେରାଙ୍କ ମୃତ୍ୟୁ ହୋଇଥିବା ବେଳେ ଜୁଲାଇ ମାସରେ ରାସନ କାର୍ଡ ( ୧୬୦୩୧୯୧୦୫୦୭)ରେ ଚାଉଳ ଦେବା ବେଳେ ମୃତ ବ୍ୟକ୍ତି ଙ୍କ ନାମ ବାଦ୍ ଦେଇ ପରିବାରର ଅନ୍ୟ ୫ ସଦସ୍ୟ ଙ୍କ ଚାଉଳ ପ୍ରଦାନ କରିଥିଲେ । ହେଲେ ମୃତ ବ୍ୟକ୍ତି ସ୍ବାମୀ ଓ ସ୍ତ୍ରୀ ଙ୍କ ନାମରେ ମିଥ୍ୟା ବିଲ କରି ୩ ମାସର ୩୦ କିଲୋ ଚାଉଳ ହଡପ କରାଯାଇଥିବା କେତକୀ ମଲିକ ଅଭିଯୋଗ କରିଛନ୍ତି । ଏଭଳି ଭାବେ ଦାରିଙ୍ଗବାଡି ଯୋଗାଣ ବିଭାଗ ସିମନବାଡ଼ି ପଞ୍ଚାୟତର ଅନେକ ମୃତ ବ୍ୟକ୍ତି ଙ୍କ ଚାଉଳ ହଡପ କରିଥିବା ବେଳେ ଅନ୍ୟ ୨୪ ଗୋଟି ପଞ୍ଚାୟତରେ ମଧ୍ୟ ଅନେକ ମୃତ ବ୍ୟକ୍ତି ଙ୍କ ନାମରେ ଶହ ଶହ କ୍ଵିଣ୍ଟାଲ ଚାଉଳ ମିଥ୍ୟା ବିଲ କରି ହଡପ କରାଯାଉଥିବା ଅଭିଯୋଗ ହୋଇଛି । ବ୍ଲକ ପ୍ରଶାସନ ଓ ଯୋଗାଣ ଅଧିକାରୀ ଙ୍କ ଛତ୍ରଛାୟା ତଳେ ଏଭଳୀ ଦୁର୍ନୀତି ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି । ଏଣୁ ଏହାର ସଠିକ୍ ତଦନ୍ତ କରାଯାଇ ଦୁର୍ନୀତିରେ ଲିପ୍ତ ଥିବା ଅଧିକାରୀ ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମୃତ ସମ୍ପର୍କୀୟ ସହ ଅଞ୍ଚଳବାସୀ ଦାବି କରିଛନ୍ତି । ଜିଲ୍ଲା ଯୋଗାଣ ଅଧିକାରୀ ଜ୍ଞାନନ୍ଦ୍ରିୟ ମିଶ୍ର ଙ୍କୁ ପଚାରିବାରୁ ସେ କହିଲେ ଏହାର ତଦନ୍ତ କରାଯିବ ବୋଲି କହିଥିଲେ ।