ଦାରିଙ୍ଗବାଡି,୨୯/୭(ତରଣୀ ସାହୁ): ଦାରିଙ୍ଗବାଡି ବ୍ଲକ ସଭାଗୃହ ଠାରେ ଜିଲ୍ଲାପାଳ ଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । କନ୍ଧମାଳ ଜିଲ୍ଲାପାଳ ଡ଼କ୍ଟର ଆଶିଷ ଇଶ୍ଵର ପାଟିଲ ଓ ଏସପି ଶୁଭେନ୍ଦୁ ପାତ୍ର ମୋଟ ୧୨୭ ଟି ଅଭିଯୋଗ ଶୁଣିଥିଲେ । ସେଥି ମଧ୍ୟରୁ ୬୯ ଟି ବ୍ୟକ୍ତିଗତ ଥିବା ବେଳେ ୫୮ ଟି ସାମୁହିକ ଅଭିଯୋଗ ରହିଥିଲା । ଦନେକବାଡ଼ି ଠାରୁ ସିର୍କାବର୍ଗ ଗ୍ରାମ୍ୟ ଉନ୍ନୟନ ରାସ୍ତାର ମରାମତି, ସିର୍କାବର୍ଗରେ ଜିଓ ନେଟୱର୍କ ଚାର୍ଜ କରିବା, ମହାଗୁଡ଼ି ଠାରୁ କିଲିମେରା ଅଧାପନ୍ତରୀଆ ରାସ୍ତା ଶୀଘ୍ର ସମ୍ପୂର୍ଣ୍ଣ କରିବା, ସିକରମାହାରେ ବିଏସଏନଏଲ୍ ନେଟୱର୍କ ଅଚଳ ରହିଥିବା ବେଳେ ଏହାର ମରାମତି, ବ୍ରାହ୍ମଣୀଗାଁ ବ୍ଲକ ଘୋଷଣା ଓ ଅତିରିକ୍ତ ତହସିଲଦାର ଙ୍କୁ ନିଯୁକ୍ତି ପ୍ରଦାନ, ତାଜୁଙ୍ଗିଆ ପଞ୍ଚାୟତ ପରିସରରେ ହେଉଥିବା ବଜାର ଗୃହ ଶୀଘ୍ର ସମ୍ପୂର୍ଣ୍ଣ ସହ ଜିଓ ନେଟୱର୍କ ସ୍ଥାପନ, ସିଆଙ୍ଗବାଲି ପଞ୍ଚାୟତରେ ୧ ବର୍ଷ ହେଲା ୱାର୍ଡସଭ୍ୟ/ସଭ୍ୟାଙ୍କୁ ବୈଠକ ଭତା ମିଳିନଥିବା ବେଳେ ଭତା ପ୍ରଦାନ,ସମେତ ବିଭିନ୍ନ ରାସ୍ତାର ମରାମତି, ନେଟୱର୍କ ସ୍ଥାପନ ଭଳି ସାମୁହିକ ଅଭିଯୋଗ ରହିଥିବା ବେଳେ ବ୍ୟକ୍ତିଗତ ଭାବେ ନୂତନ ରାସନ୍ କାର୍ଡ, ନାମ ସଂଯୋଗୀ କରଣ, ଘରବାରି ପଟ୍ଟା ପ୍ରଦାନ,ଭତା, ଆବାସ ଯୋଜନାରେ ସାମିଲ ଭଳି ଅଭିଯୋଗ ରହିଥିଲା । ଅଭିଯୋଗ ଶୁଣାଣୀରେ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରତ୍ନାକର ସାହୁ, ବିଡ଼ିଓ ଗଦାଧର ପାତ୍ର, ତହସିଲଦାର ଶରତ ଶବର, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ ଷଡ଼ଙ୍ଗୀ, ବ୍ଲକ ଶିକ୍ଷା ଅଧିକାରୀ ହାଡ଼ିବନ୍ଧୁ ବେହେରା, ଜଳ ବିଭାଜିକା ପିଆଇଏ ହୃଷୀକେଶ ପ୍ରଧାନ, ଏସିଏଫ ସତିଶ ଧାରୁଆ, ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧିକାରୀ ହରିହର ବେହେରା, ଦାରିଙ୍ଗବାଡି ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।