ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀଙ୍କ ଦାବିପତ୍ର ପ୍ରଦାନ

ଢେଙ୍କାନାଳ,(ଶୁଭମ ପାଣି): ସହରାଞ୍ଚଳ ଓ ଗ୍ରାମ୍ୟ ଜଳଯୋଗାଣ ବ୍ୟବସ୍ଥାରେ ଦୀର୍ଘବର୍ଷ ଧରି କାର୍ଯ୍ୟ କରି ଆସୁଥିବା ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବା ଦାବିରେ ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ପାନୀୟ ଜଳଯୋଗାଣ ଭଲି ଏକ ଅତ୍ୟାବଶ୍ୟକ ତଥା ଜରୁରୀ ସେବା ବିଭାଗରେ ଦୀର୍ଘବର୍ଷ ଧରି କାର୍ଯ୍ୟ କରିଆସୁଥିବା ଅସ୍ଥାୟୀ କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବାରେ ସରକାରଙ୍କ ପକ୍ଷରୁ ଅଣଦେଖା କରାଯାଉଛି । ଏଦିଗରେ ଯାନ୍ତ୍ରିକ ସଂଗଠନ ପକ୍ଷରୁ ସରକାରଙ୍କ ବହୁବାର ଦୃଷ୍ଟି ଆକର୍ଷଣ କରାଯାଇଛି । ମାତ୍ର କୌଣସି ପଦକ୍ଷେପ ନିଆଯାଉନାହିଁ । ଯଦ୍ୱାରା ସଂପୃକ୍ତ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅସ୍ଥାୟୀ କର୍ମଚାରୀଙ୍କ ଚାକିରୀକାଳ, ସେମାନଙ୍କ ପରିବାରର ଭବିଷ୍ୟତ ସୁରକ୍ଷା ଦୃଷ୍ଟିରୁ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ସୋମବାର ଢେଙ୍କାନାଳ ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ ସଂଘର ସମ୍ପାଦକ ହିରଣ୍ମୟ ରଥ ଓ ସହସଂପାଦକ ଅଲେଖ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।