ମନର ଭାବ ପରିପ୍ରକାଶ ପାଇଁ ସାଧାରଣ ଲୋକଟିଏ ଭାଷାକୁ ମାଧ୍ୟମ କରିଥାଏ।ହେଲେ ମୂକ ଏବଂ ଶ୍ରବଣବାଧିତ ମାନଙ୍କ କ୍ଷେତ୍ରରେ ତାହା ହୋଇନଥାଏ।ସେମାନଙ୍କ ପାଇଁ ସାଙ୍କେତିକ ଭାଷା କଥୋପକଥନର ଏକମାତ୍ର ମାଧ୍ୟମ।ଏହି ସାଙ୍କେତିକ ଭାଷାର ଗୁରୁତ୍ବ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ସମଗ୍ର ପୃଥିବୀରେ ୨୩ ସେପ୍ଟେମ୍ବର ଅର୍ଥାତ୍ ଆଜିର ଦିନକୁ ‘ଅନ୍ତର୍ଜାତୀୟ ସାଙ୍କେତିକ ଭାଷା ଦିବସ’ ଭାବେ ପାଳନ କରାଯାଉଛି।ଏହି ଭାଷା ବ୍ୟବହାରକାରୀଙ୍କ ଭାଷା ପରିଚୟ, ସାଂସ୍କୃତିକ ବିବିଧତାକୁ ସମର୍ଥନ ଏବଂ ସୁରକ୍ଷା କରିବା ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ବିଶ୍ବ ଶ୍ରବଣବାଧିକ ସଙ୍ଘର ପ୍ରସ୍ତାବ କ୍ରମେ ୨୦୧୭ ମସିହାରେ ଜାତିସଙ୍ଘ ସାଧାରଣ ପରିଷଦ ରେ ସାଙ୍କେତିକ ଭାଷା ଦିବସ ପାଳନ ପାଇଁ ଏକ ସଂକଳ୍ପ ପାରିତ କରିଥିଲା।୨୦୧୮ରେ ଏହା ପ୍ରଥମେ ପାଳିତ ହୋଇଥିଲା।୧୯୫୧ ମସିହା ସେପ୍ଟେମ୍ବର ୨୩ ତାରିଖରେ ବିଶ୍ବ ଶ୍ରବଣ ବାଧିତ ସଙ୍ଘ ସ୍ଥାପିତ ହୋଇଥିବାରୁ ସେହି ଦିନକୁ ମନେ ରଖିବା ପାଇଁ ଏହି ଦିବସ ପାଳନ କରାଯାଇଛି।
ହାତ,ମୁଖମଣ୍ଡଳ ଏବଂ ଶରୀରର ବିଭିନ୍ନ ଅଙ୍ଗଭଙ୍ଗୀ ଜରିଆରେ ମୂକ ବଧିରମାନେ ଭାବ ବ୍ୟକ୍ତ କରିଥାନ୍ତି।ଅନ୍ୟଭାଷା ଭଳି ସାଙ୍କେତିକ ଭାଷାର ନିଜସ୍ବ ବ୍ୟାକରଣ ଏବଂ ନିୟମ ରହିଛି।ମୂକ-ଶ୍ରବଣବାଧିତଙ୍କ ବିକାଶ ପାଇଁ ସାଙ୍କେତିକ ଭାଷା ନିତାନ୍ତ ଜରୁରୀ।ଦେଶରେ ମୂକ ଓ ଶ୍ରବଣବାଧିତ ବ୍ୟକ୍ତିବିଶେଷଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ ସାଙ୍କେତିକ ଭାଷାକୁ ସରକାରୀ ବିଷୟ ଭାବେ ମାନ୍ୟତା ପ୍ରଦାନ କରାଯାଇଛି।
ମୂକ ଓ ଶ୍ରବଣବାଧିତ ଛାତ୍ରଛାତ୍ରୀ ମାନଙ୍କୁ ସାଙ୍କେତିକ ଭାଷା ର ପ୍ରୟୋଗ ଓ କିପରି ସାଙ୍କେତିକ ଭାଷା ବ୍ୟବହାର କରି ସମାଜରେ ଭାବ ବିନିମୟ କରିପାରିବେ,ସେଥିପାଇଁ ରାଜ୍ୟ ତଥା ଦେଶରେ ସ୍ବତନ୍ତ୍ର ବିଦ୍ୟାଳୟ ମାନ ମଧ୍ୟ ରହିଛି।ଏହି ବିଷୟରେ ତାଲିମପ୍ରାପ୍ତ ସ୍ବତନ୍ତ୍ର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଶ୍ରବଣବାଧିତ ବିଦ୍ୟାର୍ଥୀ ମାନଙ୍କୁ ସାଙ୍କେତିକ ଭାଷାର ବ୍ୟବହାର କିପରି କରିପାରିବେ,ତାହା ଉପରେ ଶିକ୍ଷାଦାନ କରି ଶ୍ରବଣବାଧିତ ବିଦ୍ୟାର୍ଥୀ ମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ପ୍ରୟାସ ଜାରି ରଖିଛନ୍ତି।ଶ୍ରବଣବାଧିତ ବ୍ୟକ୍ତି ମାନଙ୍କୁ ସାଙ୍କେତିକ ଭାଷା ସଶକ୍ତ କରୁଛି।ସମସ୍ତେ ସାଙ୍କେତିକ ଭାଷା ବିଷୟରେ ଅଳ୍ପ ବହୁତ ଜାଣିବାର ଆବଶ୍ୟକତା ରହିଛି,ଏହି ଭାଷା ଜାଣିବା ଦ୍ୱାରା ଜଣେ ଶ୍ରବଣବାଧିତ ବ୍ୟକ୍ତିଙ୍କୁ ଯେକୌଣସି ଜିନିଷ ସମ୍ପର୍କରେ ଭଲ ଭାବରେ ବୁଝାଇ ହୋଇପାରିବ।