ରାୟଗଡା,(ପ୍ରଫୁଲ୍ଲ କୁମାର ବେହେରା) : ଗୁଣିଗାରେଡ଼ି ସନ୍ଦେହରେ ମହିଳାଙ୍କୁ ହତ୍ୟା କରିଛନ୍ତି ପଡ଼ୋଶୀ ଯୁବକ। ରାୟଗଡ଼ା ସହରର କୋଇଲାପଡ଼ାଠାରେ ଏପରି ଅଭାବନୀୟ ଘଟଣା ଘଟିଛି। ଚନ୍ଦ୍ରମା ବିଭାର (୫୦)ଙ୍କୁ ସୋମବାର ମଧ୍ୟାହ୍ନରେ ତାଙ୍କ ପଡ଼ୋଶୀ ରାଜେଶ କୁଲୁ ଶିକା ହତ୍ୟା କରିଛନ୍ତି। ପୋଲିସ ପହଞ୍ଚି ତଦନ୍ତ କରିବା ପରେ ରାଜେଶଙ୍କୁ ଗିରଫ କରିଛି। ଏଥିସହିତ ହତ୍ୟାକାରୀ ବ୍ୟବହାର କରିଥିବା ଟାଙ୍ଗିଆ ମଧ୍ୟ ଜବତ କରିଛି ପୋଲିସ।
ସୂଚନା ପାଇ ଏସ୍ପି ବିବେକାନନ୍ଦ ଶର୍ମା ଏବଂ ଏସ୍ଡିପିଓ ଦେବଜ୍ୟୋତି ଦାସ ପହଞ୍ଚି ତଦନ୍ତ କରିଛନ୍ତି। ଗତ କିଛି ଦିନ ହେବ ଚନ୍ଦ୍ରମା ଗୁଣିଗାରେଡ଼ି କରୁଥିବା ନେଇ ରାଜେଶ ସନ୍ଦେହ କରୁଥିଲେ। ଏହାଦ୍ୱାରା ଉଭୟ ପରିବାର ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ତେବେ ଏଥିରେ ଉତ୍କ୍ଷିପ୍ତ ହୋଇ ରାଜେଶ ଚନ୍ଦ୍ରମାଙ୍କ ଘରେ ପଶି ଟାଙ୍ଗିଆରେ ବେକକୁ ହାଣି ଦେଇଥିଲେ। ଫଳରେ ଚନ୍ଦ୍ରମାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ରାଜେଶ ଏହା ପରେ ଘରୁ ବାହାରି ସାହିରେ ସମସ୍ତଙ୍କୁ ଭୟଭୀତ କରାଇଥିଲେ। ସେପଟେ ଏସ୍ଡିପିଓ ଗୁଣିଗାରେଡ଼ି କି ଅନ୍ୟ କୌଣସି କାରଣରୁ ହତ୍ୟା ହୋଇଛି ସେ ନେଇ ସ୍ପଷ୍ଟ କରିନାହାନ୍ତି। ତଦନ୍ତସାପେକ୍ଷ ଥିବା କହିବା ବେଳେ ଚନ୍ଦ୍ରମାଙ୍କର ପୁଅ ଅବିନାଶ ବିଭାର କହିଛନ୍ତି ଗୁଣି ଗାରେଡ଼ି ପାଇଁ ମା’ଙ୍କୁ ହତ୍ୟା କରାଯାଇଛି। ମୁଁ ଘରେ ନ ଥିଲି, ମୋ ଘରେ ପଶି ସେ ମୋ ମାଙ୍କୁ ହାଣିଛନ୍ତି। ସେ ବାହାରକୁ ଆସି ମୋ ମା ସମସ୍ତଙ୍କୁ ନଷ୍ଟ କରୁଥିବା ଚିତ୍କାର କରୁଥିବା ଶୁଣିବାକୁ ପାଇଥିଲି।