ଜିଲ୍ଲାପାଳଙ୍କ ରଥ ଯାତ୍ରା ଶେଷ ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା, ମାସ୍କ ପରିଧାନ ପାଇଁ ସମସ୍ତଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ

ଢେଙ୍କାନାଳ,୨୯/୦୬(ଶୁଭମ ପାଣି): ଆଜି ଅପରାହ୍ନରେ ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ରଥଖଳା ଠାରେ ରଥଯାତ୍ରା ଶେଷ ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା କରିଛନ୍ତି । ଏହି ଅବସରରେ ସେ ଢେଙ୍କାନାଳ ରାଜା ଶ୍ରୀଯୁକ୍ତ ଅମର ଜ୍ୟୋତି ସିଂହଦେଓଙ୍କ ସହିତ ରଥଯାତ୍ରାର ପୂର୍ଣାଙ୍ଗ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଆସନ୍ତା ଜୁଲାଇ ୧ ତାରିଖ ଦିନ ପାରମ୍ପରିକ ପ୍ରଥା ଅନୁଯାୟୀ ସମସ୍ତ ନୀତିକାନ୍ତି ପରେ ଅପରାହ୍ନ ୧.୦୫ ଘଟିକା ସମୟରେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରଥମ ରଥଟଣା ହେବ । ପୁନଶ୍ଚ ଘ. ୨.୩୦ ମି. ସମୟରୁ ରଥଟଣା ଆରମ୍ଭ ହୋଇ ସୂର୍ଯ୍ୟାସ୍ତ ସମୟରେ ରଥଟଣା ଶେଷ ହେବ ବୋଲି ନିଷ୍ପତି ହୋଇଛି । ରଥ ଯାତ୍ରାକୁ ସରସ ସୁନ୍ଦର କରି, ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବାକୁ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ।କରୋନା ସଂକ୍ରମଣ ରାଜ୍ୟରେ ପରିଲକ୍ଷିତ ହେଉଥିବାରୁ ରଥ ଟାଣୁଥିବା ସମସ୍ତ ଶ୍ରଦ୍ଧାଳୁ ଓ ଅନ୍ୟମାନେ ସମସ୍ତେ ମାସ୍କ ପରିଧାନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ରଥ ଯାତ୍ରାରେ ଅଧିକ ଜନସମାଗମ ହେବାକୁ ଥିବା ଯୋଗୁଁ ଖାଦ୍ୟ ସାମଗ୍ରୀର ଶୁଦ୍ଧତା, ପରିଷ୍କାର ପରିଚ୍ଛନ୍ନତା ପ୍ରତି ଦ୍ରୁଷ୍ଟି ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୨ ଟି ଆମ୍ବୁଲାନ୍ସର ବ୍ୟବସ୍ଥା ସହ ଆଶୁ ଚିକିତ୍ସା ନିମନ୍ତେ ୩ ଟି ସ୍ଥାନରେ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଖୋଲାଯିବ । ବାଜିଚଉକ ଠାରେ ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା କରାଯିବ । ଯାନବାହାନ ନିୟନ୍ତ୍ରଣ, ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ଦିନ
ରଥଯାତ୍ରା ହେଉଥିବା ସମସ୍ତ ଅଞ୍ଚଳରେ ମଦ ବିକ୍ରି ବନ୍ଦ କରାଯାଇଛି । ଚଳିତ ବର୍ଷ ରଥ ଯାତ୍ରାରେ ଅଧିକ ଜନସମାବେଶ ଆଶା କରାଯାଉଥିବାରୁ ଜନସାଧାରଣ ସମସ୍ତ ପ୍ରକାରର ପରିଷ୍କାର ପରିଚ୍ଛନତା ପ୍ରତି ଅଧିକ ଦୃଷ୍ଟି ଦେବା ସହିତ ସତର୍କତା ଓ ସାବଧାନତା ଅବଲମ୍ବନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ରଥ ଯାତ୍ରା ପ୍ରସ୍ତୁତି ସମୀକ୍ଷା ବେଳେ ଆରକ୍ଷୀ ଅଧୀକ୍ଷକ ଶ୍ରୀମତୀ ଲୋଗାନୟାଗୀ ଦିବ୍ୟା ଭି..
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର ( ରାଜସ୍ବ ), ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧା ରାଣୀ ଧଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅଶୋକ କୁମାର ଦାଶଙ୍କ ସମେତ ସହରର ବୁଦ୍ଧିଜୀବୀ, ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।