ଭୁବନେଶ୍ୱର : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଅବଧି ବଢ଼ିଯାଇଛି । ଜାମିନ ଅବଧି ଆଉ ୭ ଦିନ ବଢ଼ାଇଛନ୍ତି କୋର୍ଟ । ପ୍ରଶାନ୍ତଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ପିଟିସନ ଦାଖଲ ହୋଇଥିଲା । ଚିକିତ୍ସା ଆବଶ୍ୟକତା ଥିବାରୁ ଜାମିନ ଅବଧି ବଢ଼ାଇବାକୁ ଆବେଦନ ହୋଇଥିଲା ।
ତେବେ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ୭ ଦିନ ପାଇଁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଥିଲେ ହାଇକୋର୍ଟ । ଜାମିନ ଅବଧି ସରିବା ପରେ ଆତ୍ମସମର୍ପଣ କରିବାକୁ ପ୍ରଶାନ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ।
ଉଲ୍ଲେଖଯୋଗ୍ୟ, ନିକଟରେ ଗତ ମାର୍ଚ୍ଚ ୧୨ ତାରିଖରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପି କର୍ମୀମାନଙ୍କର ଏକ ଶୋଭାଯାତ୍ରା ଚାଲିଥିବା ସମୟରେ ତାଙ୍କ ଗାଡ଼ିକୁ ଭିଡ଼ ଭିତରକୁ ପୁରାଇ ଦେଇଥିଲେ । ଏହି ଘଟଣାରେ କିଛି ବିଜେପି କର୍ମୀଙ୍କ ସମେତ ମୋଟ ୨୫ ଜଣ ଆହତ ହୋଇଥିଲେ ।
ତେବେ ଏହି ଘଟଣା ପରେ ଉତ୍ୟକ୍ତ ଜନତା ବିଧାୟକଙ୍କୁ ମାଡ଼ ମାରିଥିଲେ । ତାଙ୍କୁ ଗୁରତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ପ୍ରଶାନ୍ତ ଜଗଦ୍ଦେବ ଗତ ୨୨ ତାରିଖ ଅପରାହ୍ନରେ ହସ୍ପିଟାଲରୁ ବାହାରିବା ପରେ ଲୋକଙ୍କ ଉପରେ ଗାଡି ଚଢାଇବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଥିଲା ।