ଜାମିନ ପାଇଁ ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଚିଲିକା ବିଧାୟକ ଆସନ୍ତା ୧୮ କିମ୍ବା ୨୧ ରେ ହୋଇପାରେ ଶୁଣାଣି

ଚିଲିକା, ଭାଜପା ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ଜାତିଆଣ ଆକ୍ଷେପ ସହ ମାଡ଼ମାରିବା ଘଟଣାରେ ଜାମିନ ଆବେଦନ ଖୋର୍ଦ୍ଧା ଏଡିଜେ-୧ ତଥା ସ୍ବତନ୍ତ୍ର କୋର୍ଟରେ ଖାରଜ ହେବାପରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗିରଫଦାରିକୁ ଏଡ଼ାଇବା ପାଇଁ ପୂର୍ବରୁ ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ହେଲେ ହାଇକୋର୍ଟ ଜାମିନ ଆବେଦନକୁ ଖାରଜ କରିବା ସହ ତାଙ୍କୁ ନିମ୍ନ ଅଦାଲତରେ ଆତ୍ମ ସମର୍ପଣ କରି ଜାମିନ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଗତ ୦୮/୧୦/୨୧ରେ ଜଗଦ୍ଦେବ ଖୋର୍ଦ୍ଧା ଏଡିଜେ-୧ ତଥା ସ୍ବତନ୍ତ୍ର କୋର୍ଟରେ ଆତ୍ମସମର୍ପଣ କରି ଜାମିନ ଆବେଦନ କରିଥିଲେ। ହେଲେ ଅଦାଲତ ଉକ୍ତ ଆବେଦନକୁ ଖାରଜ କରିବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିଲା। ଜେଲ ହାଜତକୁ ଯିବାର କିଛି ସମୟ ପରେ ବିଧାୟକ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ଏବେ ସେ କ୍ୟାପିଟାଲ୍‌ ହସ୍ପିଟାଲ ଚିକିତ୍ସାଧୀନ ଅଛନ୍ତି। ବିଭିନ୍ନ କାରଣ ଦର୍ଶାଇ ତାଙ୍କୁ ଜାମିନ ପ୍ରଦାନ କରିବାକୁ ସେ ହାଇକୋର୍ଟ କେଶ ନମ୍ବର CRLA NO-599 of 2021 ଆବେଦନ କରିଛନ୍ତି ଯାହା ୧୮ ଅକ୍ଟୋବର କିମ୍ବା ୨୧ ଅକ୍ଟୋବର ରେ ଶୁଣାଣି ହୋଇପାରେ । ଏ ସମ୍ପର୍କେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସଂଖ୍ଯା ଚିଠି-୪୧୮୧୭/ତା, ୧୧/୧୦/୨୦୨୧ ଅନୁସାରେ ଇତଲାକାରୀଙ୍କୁ ତଦନ୍ତକାରୀ ଅଧିକାରୀ ଦ୍ବାରା ନୋଟିସ୍ ଜାରି ହୋଇଥିବା ଥିବା ପ୍ରକାଶ।

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୮ତାରିଖରେ ବାଲୁଗାଁ ଏନ୍‌ଏସି କାର୍ଯ୍ୟାଳୟ ସମ୍ମୁଖରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ରହିଥିଲା। ଏଥିରେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମୁଖ୍ୟ ଅତିଥିଭାବେ ଯୋଗ ଦେବାର ଥିଲା। ହେଲେ କାର୍ଯ୍ୟକ୍ରମ ଆରମ୍ଭ ହେବାରେ ବିଳମ୍ବ ଘଟିବାରୁ ମଣ୍ଡଳ ଭାଜପା ସଭାପତି ନିରଞ୍ଜନ ବାଲୁଗାଁ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ। ଏହି ସମୟରେ ବିଧାୟକ ସେଠାରେ ପହଞ୍ଚତ୍ ନିରଞ୍ଜନଙ୍କୁ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ ସହ ମାଡ଼ ମାରିଥିଲେ ବୋଲି ଅଭିଯାଗ ହୋଇଥିଲା। ବିଧାୟକଙ୍କ ଏଭଳି ଆକ୍ରମଣ ପ୍ରତିବାଦରେ ବାଲୁଗାଁ ଥାନା ସାମ୍ନାରେ ଶତାଧିକ ଭାଜପା କର୍ମୀ ଧାରଣା ଦେଇଥିଲେ। ନିରଞ୍ଜନଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ବିଧାୟକ ପ୍ରଶାନ୍ତଙ୍କ ବିରୋଧରେ ଏସ୍‌ସିଏସ୍‌ଟି ଆକ୍ଟ୍ରୋସିଟି ଆକ୍ଟରେ ଏକ ମାମଲା ରୁଜୁ କରିଥିଲା (ବାଲୁଗାଁ ଥାନା କେଶ ନଂ- ୧୫୬/ ୨୦୨୧)। ଏହି ଘଟଣା ପରେ ପ୍ରଶାନ୍ତଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା। ପଂଚାୟତ ନିର୍ବାଚନ ପାଇଁ ବିଜେଡି ଦଳକୁ ଏହା ଏକ ବିଷମ ସମସ୍ୟା।