ବାଣପୁର: ବାଣପୁର ଥାନା ଅନ୍ତର୍ଗତ ମାଟିଆ ସାହି ବେଙ୍ଗରାଜପଲ୍ଲି ଗ୍ରାମର ଜଣେ ମହିଳାଙ୍କୁ ସୁନା ଅଳଙ୍କାର ସଫା କରିବା ଆଳରେ ଚତୁରତାର ସହ ଅସଲି ସୁନା ଅଳଙ୍କାର ବଦଳରେ ନକଲି ସୁନାଅଳଙ୍କାର ହାତରେ ଧରାଇ ଦେଇ ଚମ୍ପଟ ମାରିଥିବା ୭ ମହିଳାଙ୍କୁ ବାଣପୁର ପୋଲିସ ଅଟକ ରଖିଥିବା ଜଣାପଡ଼ିଛି ।
ପ୍ରାପ୍ତ ସୂଚନା ଅନୁଯାୟୀ ବାଣପୁର ତୁମ୍ବୁରାପୁଟ ନିକଟସ୍ଥ ମାଟିଆ ସାହି ବେଙ୍ଗରାଜପଲ୍ଲି ଗ୍ରାମରେ ଗତ ବୁଧବାର ଦିନ ୭ ଜଣ ମହିଳା ଚୁଡ଼ି ବିକ୍ରି କରିବା ସହ ସୁନା ଅଳଙ୍କାର ସଫା କରବା ପାଇଁ ଗାଁରେ ବୁଲୁଥିଲେ । ଦିନ ପ୍ରାୟ ୧ଟା ବେଳେ ସେମାନେ ବେଙ୍ଗରାଜ ପଲି ଗ୍ରାମରେ ପହଞ୍ଚିଥିଲେ । ଗ୍ରାମର କିଛି ମହିଳାଙ୍କ କଥାରେ ବିଶ୍ୱାସ କରି ସୁନା ସାମଗ୍ରୀ ସଫା ପାଇଁ ମହିଳାଙ୍କୁ ଦେଇଥିଲେ । ମହିଳା ମାନଙ୍କ ସାମ୍ନାରେ ସେମାନେ ସୁନାକୁ ସଫା କରିବା ଆରମ୍ଭ କରିଥିଲେ । ତେବେ ମହିଳାଙ୍କ ଅନ୍ୟ ମାନସ୍କରେ ମହିଳାମାନେ ଅସଲି ସୁନାକୁ ଚତୁରତାର ସହ ବଦଳାଇ ଠିକ ଅସଲି ଭଳି ଦେଖାଯାଉଥିବା ଅନ୍ୟ ଏକ ନକଲି ସାମଗ୍ରୀ ଦେଇ ସେଠାରୁ ଚମ୍ପଟ ମାରି ପଳାଉଥିବା ବେଳେ ଗ୍ରାମ ବାସୀ ବାଣପୁର ପୋଲିସ୍ କୁ ଖବର ଦେଇଥିଲେ ପୋଲିସ ଉକ୍ତ ୭ ଜଣ ମହିଳାଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।