ଭୁବନେଶ୍ୱର: ରାଜ୍ୟରେ ଲକଡାଉନ୍ କଟକଣା ଆଂଶିକ କୋହଳ କରାଯାଇଛି । ରାଜ୍ୟରେ ୨ ସପ୍ତାହ ପାଇଁ ଆଂଶିକ ଲକଡାଉନ୍ ଜାରି ରହିବ । ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସୁରେଶ ମହାପାତ୍ର । ଆସନ୍ତାକାଲି ସକାଳ ୫ଟା ପରଠାରୁ ଆସନ୍ତା ଜୁଲାଇ ମାସ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଏହି ଆଂଶିକ ଲକଡାଉନ୍ ଲାଗୁ ହେବ । ୧୪ ଦିନ ପାଇଁ ଲାଗୁ ହୋଇଥିବା ଏହି ଆଂଶିକ ଲକଡାଉନ୍ ସମୟରେ ସପ୍ତାହାନ୍ତ ସଟଡାଉନ୍ ସମସ୍ତ ଜିଲ୍ଲାରେ ବଳବତ୍ତର ରହିବ ।
କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ରାଜ୍ୟ ସରକାର ସମସ୍ତ ଜିଲ୍ଲାକୁ ଦୁଇଟି ଶ୍ରେଣୀରେ ବିଭକ୍ତ କରିଛନ୍ତି । ସଂକ୍ରମଣ ହ୍ରାସ ହୋଇଥିବା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ଟି ଜିଲ୍ଲାକୁ ଏ କାଟାଗୋରୀରେ ରଖାଯାଇଛି । ଏହି ଜିଲ୍ଲାମାନଙ୍କରେ ସକାଳ ୬ଟାରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ କଟକଣା କୋହଳ କରାଯିବ । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡ଼ା ଏ କାଟାଗୋରିରେ ରହିଛନ୍ତି ।
ସେହିପରି ସଂକ୍ରମଣ ଅଧିକ ରହିଥିବା ୧୩ ଜିଲ୍ଲାକୁ ବି କାଟାଗୋରିରେ ଅନ୍ତର୍ଭୁକ୍ତ କରାଯାଇଛି । ସଂକ୍ରମଣ ହାର ଅଧିକ ରହିଥିବାରୁ ଏହି ଜିଲ୍ଲାମାନଙ୍କରେ ସକାଳ ୬ରୁ ଦିନ ମଧ୍ୟାହ୍ନ ୧ଟା ଯାଏ କଟକଣା କୋହଳ କରାଯାଇଛି । ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝର ବି କାଟାଗୋରିରେ ରହିଛନ୍ତି ।