ପଶ୍ଚିମ ଓଡ଼ିଶା କୋଭିଡ ପରିଚାଳନା ପାଇଁ ୨୫ କୋଟି ପ୍ୟାକେଜ୍ ଘୋଷଣା

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ଯୋଗୁଁ ଅନେକ ଲୋକେ ନିଜର ଧନ ଜୀବନ ହରାଇସାରିଛନ୍ତି । ଏବେବି ରାଜ୍ୟରେ ଅନେକ ଅଞ୍ଚଳରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏହାର ମୁକାବିଲା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଆଜି ପଶ୍ଚିମ ଓଡିଶା ପାଇଁ ସ୍ୱତନ୍ତ୍ର କୋଭିଡ ପ୍ୟାକେଜ୍ ଘୋଷଣା କରିଛନ୍ତିି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଶ୍ଚିମ ଓଡିଶାରେ କୋଭିଡ ପରିଚାଳନା ପାଇଁ ଆଉ ୨୫ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ପଶ୍ଚିମ ଓଡିଶାରେ ୧୧ଟି ଜିଲ୍ଲାରେ କୋଭିଡ ପରିଚାଳନା ପାଇଁ ଏହି ପ୍ୟାକେଜ ଘୋଷଣା ହୋଇଛି । ସେହି ୧୧ଟି ଜିଲ୍ଲାଗୁଡିକ ଯଥା- ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗୀର, ବରଗଡ, ନୂଆପଡା, ଝାରସୁଗୁଡା, ଅନୁଗୁଳ, ବୌଦ୍ଧ, ଦେବଗଡ, ସୁବର୍ଣ୍ଣପୁର ଓ ସୁନ୍ଦରଗଡ ପାଇଁ ଏହି ଅର୍ଥ ଘୋଷଣା ହୋଇଛି । କୋଭିଡ ପ୍ୟାକେଜ୍ ଦ୍ୱାରା ପଶ୍ଚିମ ଓଡିଶାର ଏହି ୧୧ ଜିଲ୍ଲା ଉପକୃତ ହେବେ ।

ଏହି କାର୍ଯ୍ୟକ୍ରମରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା, ଅର୍ଥ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ, ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ଗ୍ରାମ୍ୟ ଉନ୍ନୟମ ମନ୍ତ୍ରୀ ଶ୍ରୀ ସୁଷାନ୍ତ ସିଂହ, ଶକ୍ତି ମନ୍ତ୍ରୀ ଶ୍ରୀ ଦିବ୍ୟଶଂକର ମିଶ୍ର, ଉପମୁଖ୍ୟ ସଚେତକ ଶ୍ରୀ ରୋହିତ ପୂଜାରୀ ଏବଂ ସାଂସଦ ଓ ବିଧାୟକ ମାନେ ଯୋଗ ଦେଇଥିଲେ।

ପଶ୍ଚିମ ଓଇଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ ତ୍ରିପାଠୀ ସ୍ବାଗତ ଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ଶ୍ରୀ ପି.କେ. ଜେନା, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ. ମହାପାତ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ